-
Ichhapatra
₹200.00ରୋଜାଲିନି ମିଶ୍ରଙ୍କର ପ୍ରଥମ ଉପନ୍ୟାସ ତାଙ୍କର ପ୍ରଥମ ଗଳ୍ପ ସଂକଳନ ଭଳି ବିସ୍ମୟକର। ଆଂଗିକ ଦୃଷ୍ଟିରୁ ଉପନ୍ୟାସଟିର ଗଠନ ଖୁବ୍ ନିର୍ଭୁଲ୍ ଓ ଏହା ସୁଖପାଠ୍ୟ ନିଶ୍ଚୟ। ଏ କାହାଣୀ ଆମ ପିଢ଼ିର ପାଠକମାନଙ୍କୁ ଧରି ରଖିବାର ସାମର୍ଥ୍ୟ ରଖେ। ରୋଜାଲିନିଙ୍କର ଲେଖକୀୟତାର କ୍ରମ ବିବର୍ତ୍ତନର ଏହା ଏକ ଅପୂର୍ବ ନିଦର୍ଶନ। ତାଙ୍କର ଗପସବୁ ଭଳି ଏ ଉପନ୍ୟାସ ବି ପ୍ରଚୁର ଆଦୃତି ପାଉ, ଏହା ହିଁ କାମନା। –ଡ. ହିରଣ୍ମୟୀ ମିଶ୍ର, ବରିଷ୍ଠ ସାହିତ୍ୟିକା
କଥାଶିଳ୍ପୀ ରୋଜାଲିନିଙ୍କ କଥାସମୂହର ଜୀବନ୍ମୟତା ହିଁ ତାଙ୍କ ଗପଗଢ଼ଣର ପ୍ରମୁଖ ଆକର୍ଷଣ। ସୂକ୍ଷ୍ମ ଚିନ୍ତନ ତଥା ମୁକ୍ତ ମନନରୁ ସୃଷ୍ଟ କଥାବସ୍ତୁ ଏକ ନିରୁତା ଭାବାବେଗ ଓ ନିଆରା ପ୍ରେମାନୁରାଗର ଛୁଆଁ ପାଇ ସରଳ, ସାବଲୀଳ ଗତିରେ ଗତିଶୀଳ ହୋଇ ଏକ ଅପୂର୍ବ ନାନ୍ଦନିକତାରେ ପାଠକମାନଙ୍କୁ ଅଭିଭୂତ କରେ। ଈଶ୍ୱର କରନ୍ତୁ – ରୋଜାଲିନିଙ୍କ ସର୍ଜନାର ପୃଥିବୀ ଆହୁରି ସବୁଜେଇଯାଉ, ଆହୁରି ପରିପୁଷ୍ଟ ହେଉ, ଆହୁରି ବ୍ୟାପ୍ତ ହେଉ। –ଡ. ମଞ୍ଜୁ ପଣ୍ଡା, କଥାକାର
ଉପନ୍ୟାସଟି ପଢିଲା ବେଳେ ପୃଷ୍ଠା ପରେ ପୃଷ୍ଠା ଲେଉଟି ଚାଲେ ଆପେ ଆପେ। ପାଠକ ବାନ୍ଧି ହୋଇଯାଏ ବିଂଶ ଶତାବ୍ଦୀର ପଞ୍ଚମ / ଷଷ୍ଠ ଦଶକର ଗାଉଁଲି ଓଡ଼ିଆ ପରିବେଶରେ। ତତ୍କାଳୀନ ଭାବକୁ ବ୍ୟକ୍ତ କଲାଭଳି ଶବ୍ଦ ଗୁମ୍ଫନରେ ବେଶ୍ ପାରଙ୍ଗମ ଏବଂ ପରିପକ୍ୱ ଅଟନ୍ତି ରୋଜାଲିନି। ଉପନ୍ୟାସ ରଚନାରେ ପ୍ରଥମ ହେଲେ ବି ଏହା ଏକ ବଳିଷ୍ଠ ପ୍ରୟାସ। ବହିଟି ନିଶ୍ଚିତ ପାଠକାଦୃତି ପାଇବ ବୋଲି ବିଶ୍ୱାସ। –ଦୀପକ ମିଶ୍ର, ଲେଖକ
ଆମ ସମୃଦ୍ଧ ଓଡ଼ିଆ ସାହିତ୍ୟ ସରଣୀରେ ରୋଜାଲିନି ଜଣେ ନୂତନ ସମ୍ଭାବନା। ଆମର ହଜି ଯାଉଥିବା ଓଡ଼ିଆ ଶବ୍ଦ ଓ ପାରମ୍ପରିକ ଚଳଣିକୁ ନିଜ ଲେଖା ମାଧ୍ୟମରେ ପୁଣି ଥରେ ଉଜ୍ଜୀବିତ କରିବାର ତାଙ୍କର ଏ ପ୍ରୟାସ ମୋତେ ମୁଗ୍ଧ କରିଛି ସତରେ। ମୁଁ ଆଶା କରିବି ତାଙ୍କର ଏ ସାଧନା ଜାରି ରହୁ ଏବଂ ଆଗାମୀ ଦିନରେ ଆମକୁ ଆହୁରି ଚମତ୍କାର ସୃଷ୍ଟି ସବୁ ପଢ଼ିବାର ସୁଯୋଗ ମିଳୁ। ବହୁତ ବହୁତ ଆଶୀର୍ବାଦ। –କାର୍ତ୍ତିକ ସ୍ୱାଇଁ, ସାହିତ୍ୟିକ
ରୋଜାଲିନିଙ୍କ ଲେଖାରେ ଥାଏ ପାଠକଙ୍କୁ ବାନ୍ଧି ରଖିବାର ଯାଦୁକରୀ ଶକ୍ତି। ଏ ଉପନ୍ୟାସଟି ମଧ୍ୟ ଶେଷଯାଏ ପାଠକଙ୍କୁ ନିଶ୍ଚୟ ବାନ୍ଧି ରଖିବ, ଏଥିରେ ସନ୍ଦେହ ନାହିଁ। ବିଶେଷ କରି ଗ୍ରାମୀଣ ପରିବେଶ ପୃଷ୍ଠଭୂମିରେ ରଚିତ ତାଙ୍କର ଏଇ ଲେଖାଟି ପାଠକଙ୍କୁ ଅତୀତାଭିମୁଖି କରିବ ଏବଂ ଲାଗିବ ଯେମିତି ଏଭଳି ଏକ ପରିବେଶକୁ ବା ଘଟଣାକୁ ପାଠକ ନିଜେ କେବେ ଅଙ୍ଗେ ନିଭାଇଛନ୍ତି। ସହଜ ସରଳ ବାକ୍ୟ ଏବଂ ଅଯଥା ଆଡ଼ମ୍ବର ନଥିବା ବର୍ଣ୍ଣନା ଶୈଳୀ ରୋଜାଲିନିଙ୍କ ଲେଖାର ବିଶେଷତ୍ୱ। ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ମଡ଼ା ଚଣ୍ଡିଆ ଓ ଅନ୍ୟମାନେ’ର ସଫଳ ପାଠକୀୟ ସ୍ୱୀକୃତି ଭଳି ତାଙ୍କର ଏଇ ପ୍ରଥମ ଉପନ୍ୟାସ “ଇଚ୍ଛାପତ୍ର’ ମଧ୍ୟ ପ୍ରଚୁର ଭଲ ପାଇବା ହାସଲ କରିବ, ଏଇ ଆଶା ରଖି ରୋଜାଲିନିଙ୍କୁ ଶୁଭେଚ୍ଛା ଜଣାଉଛି।
–ଶତ୍ରୁଜିତ୍ , କବି ଓ ଗାଳ୍ପିକ
-
Swayambara
₹300.00ସ୍ୱୟଂବରକୁ ନେଇ ଏହି ଉପନ୍ୟାସଟି ।
ସ୍ୱୟଂବରର ପ୍ରକୃତ ଅର୍ଥ ସ୍ୱୟମ୍ ବର ବରଣ କରିବା ସ୍ୱ ଇଚ୍ଛାରେ । ଏ ଦିଗରେ ସ୍ୱୟଂବରା ହିଁ ସ୍ୱତନ୍ତ୍ର । କିଂତୁ ସୀତା, ଦ୍ରୌପଦୀ ଇତ୍ୟାଦି ପ୍ରାଚୀନ ଯୁଗୀୟ ସ୍ୱୟଂବରାମାନେ ପୁରାଣ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ସ୍ୱୟମ୍]ର ଇଚ୍ଛାରେ ବର ବରଣ କରି ଥିବାର ବର୍ଣ୍ଣନା ନାହିଁ । ସ୍ୱୟଂବର ପାଇଁ କୌଣସି ନା କୌଣସି କଠୋର ସର୍ତ୍ତର ଅବତାରଣା କରାଯାଇଛି । ସର୍ତ୍ତପୂରଣକାରୀଙ୍କ ଗଳାରେ ବରମାଲ୍ୟ ଦେବାକୁ ଏଠି ସ୍ୱୟଂବରା ବାଧ୍ୟ । ଏ କେମିତିକା ସ୍ୱୟଂବର? କେମିତି ପରଂପରା ଏ, ପୁଣି ଋଷି-ମୁନି-ଜ୍ଞାନୀ-ବେଦର ଭୂୂମି ଏ ଆର୍ଯ୍ୟାବର୍ତ୍ତ ଭାରତ ବର୍ଷରେ, ନା-ଏହାର ଅନ୍ତରାଳରେ କିଛି ରହିଚି ଗୂଢ଼ ରହସ୍ୟ, ଯାହା ଅପ୍ରକାଶ୍ୟ ଏବଂ ପରଂପରାର ପୃଷ୍ଠଧରମାନେ ଏ ରହସ୍ୟକୁ ପ୍ରକାଶ କରିବାକୁ ଉଚିତ ମଣିନାହାନ୍ତି ?
ଏଥିରେ ମୁଖ୍ୟତଃ ସୀତା, ଦ୍ରୌପଦୀ ଓ ସଂଯୁକ୍ତାଙ୍କ ବହୁଚର୍ଚ୍ଚିତ -ସ୍ୱୟଂବର ଗାଥାକୁ ଉପନ୍ୟାସର କଥା ଶୈଳୀରେ ପରିବେଷଣ କରାଯାଇଛି । ସେହି ସେହି କାହାଣୀରେ ଛପି ରହିଥିବା ଯୁକ୍ତିନିଷ୍ଠ, ତର୍କସିଦ୍ଧ ସତ୍ୟ ଓ ରହସ୍ୟର ଉନ୍]ମୋଚନ କରାଯାଇଛି । ଏତଦ୍]ଭିନ୍ନ କେବଳ ସ୍ୱୟଂବରର ରହସ୍ୟ ଉନ୍]ମୋଚନ ନୁହେଁ, ସ୍ୱୟଂବରାଙ୍କ ପରବର୍ତ୍ତୀ ଜୀବନର କ୍ରମପରିଣାମ ତଥା ଜୀବନର କିଛି କିଛି ମାର୍ମିକ ମୁହୂର୍ତ୍ତର ଝଲକ୍ ଦିଆଯାଇଚି କଥା ପ୍ରସଂଗରେ । ସ୍ୱୟଂବରର ବର୍ଣ୍ଣନା ବ୍ୟତିରେକେ ଏକ ଐତିହାସିକ ରୂପକାହାଣୀକୁ ଏଥିରେ ସ୍ଥାନିତ କରାଯାଇଛି-ତାହା ହେଉଛି ପଦ୍ମାବତୀଙ୍କ ପରିଣୟ କଥା । ସବୁ କାହାଣୀ ଅବତାରଣାର ମୂଳରେ ନିର୍ଦ୍ଦିଷ୍ଟ ଏକ ଉଦ୍ଦେଶ୍ୟ ଭାବରେ ନିହିତ ଅଛି- ସେହି ଚିରନ୍ତନ ପ୍ରଶ୍ନ- ଯୁଗେ ଯୁଗେ ନାରୀ ନିର୍ଯ୍ୟାତିତା କାହିଁକି? ସାରା ଜୀବନ ପୁରୁଷକର୍ତ୍ତୃକ ସମାଜ ବ୍ୟବସ୍ଥା ଦ୍ୱାରା ଲହୁଲୁହାଣ ହୋଇଛି-ହେଉଛି ନାରୀ କାହିଁକି -କାହିଁକି ପୁରାଣ, ଇତିହାସର କାହାଣୀ ଭିତରେ ଉପନ୍ୟାସର ଆଦ୍ୟରୁ ପ୍ରାନ୍ତଯାଏ ଜଡ଼ିତ ହେଇ ରହିଚି, ସାଂପ୍ରତିକ ନାରୀ ଜୀବନ-ସଂଘର୍ଷର ଏକ ରୋମାଞ୍ଚକର କଥାସୂତ୍ର । ଏହି କଥାସୂତ୍ର ହିଁ ଉପନ୍ୟାସର ମୁଖ୍ୟଧାରା । ଯାହାର ଉପକ୍ରମଣିକାରୁ ଆରମ୍ଭ ହେଇ ଉପସଂହାରରେ ବିଲୟ ଘଟିଚି ।